IPL 2027 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ, ପୁଣି ଅଧିନାୟକ ହେବେ କି ରୋହିତ?

ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ଧରଣର ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଦଳର ନୂଆ ମୁଖ୍ୟ କୋଚ୍ ଭାବେ କିରଣ ପୋଲାର୍ଡଙ୍କ ନିଯୁକ୍ତି ସହ କୋଚିଂ ଷ୍ଟାଫ୍‌ରେ ମଧ୍ୟ ପରିବର୍ତ୍ତନ ହୋଇଥିବା ରିପୋର୍ଟ ଆସିଛି। ଏହାରି ମଧ୍ୟରେ ଦଳର ଅଧିନାୟକ ପଦକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟରେ ପୁଣି ଥରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ରୋହିତଙ୍କ ନାଁକୁ ନେଇ ବଢ଼ିଲା ଚର୍ଚ୍ଚା

ରିପୋର୍ଟ ଅନୁସାରେ, ଆଇପିଏଲ୍ ୨୦୨୬ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ନୂଆ ଅଧିନାୟକ ନିଯୁକ୍ତି ନେଇ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ବିଚାର କରୁଛି। ଏହି ଦୌଡ଼ରେ ରୋହିତ ଶର୍ମାଙ୍କ ନାଁ ସବୁଠାରୁ ଆଗରେ ଥିବା କୁହାଯାଉଛି। ଏପରିକି ରୋହିତ ଅଧିନାୟକ ଭାବେ ତିଲକ ବର୍ମାଙ୍କ ନାଁ ପ୍ରସ୍ତାବ ଦେଇଥିବା ସତ୍ତ୍ୱେ ଫ୍ରାଞ୍ଚାଇଜି ତାଙ୍କୁ ପୁଣି ଥରେ ଦାୟିତ୍ୱ ନେବାକୁ ଅନୁରୋଧ କରିଥିବା ରିପୋର୍ଟରେ ଦାବି କରାଯାଇଛି।

ହାର୍ଦ୍ଦିକଙ୍କ ଟ୍ରେଡ୍‌କୁ ନେଇ ଚର୍ଚ୍ଚା

ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ ଦଳକୁ ଯାଇପାରନ୍ତି ବୋଲି ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଯଦି ଟ୍ରେଡ୍ ସମ୍ଭବ ନହୁଏ, ତେବେ ସେ ରୋହିତଙ୍କ ଅଧିନାୟକତ୍ୱରେ ଖେଳିବାକୁ ରାଜି ଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହି ଖବର ଉପରେ ଫ୍ରାଞ୍ଚାଇଜି ପକ୍ଷରୁ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ।

ପୋଲାର୍ଡଙ୍କ ହାତରେ କୋଚିଂ ଦାୟିତ୍ୱ

ମୁମ୍ବାଇ ଇଣ୍ଡିଆନ୍ସର କୋଚିଂ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହୋଇଥିବା ଖବର ଆସିଛି। ମହେଲା ଜୟବର୍ଦ୍ଧନେଙ୍କ ସ୍ଥାନରେ କିରଣ ପୋଲାର୍ଡ ମୁଖ୍ୟ କୋଚ୍ ଦାୟିତ୍ୱ ନେଇଥିବା ରିପୋର୍ଟରେ କୁହାଯାଇଛି। ନୂଆ କୋଚିଂ ଟିମ୍‌ରେ ରବିନ୍ ଉଥାପ୍ପାଙ୍କୁ ବ୍ୟାଟିଂ କୋଚ୍, ମିଚେଲ୍ ମ୍ୟାକ୍ଲେନାଘନ୍‌ଙ୍କୁ ବୋଲିଂ କୋଚ୍, ଟି. ଦିଲୀପଙ୍କୁ ଫିଲ୍ଡିଂ କୋଚ୍ ଏବଂ ଧୱଲ କୁଲକର୍ଣ୍ଣିଙ୍କୁ ଡେଭଲପମେଣ୍ଟାଲ୍ ବୋଲିଂ କୋଚ୍ ଭାବେ ସାମିଲ କରାଯାଇଥିବା ଦାବି କରାଯାଇଛି।

ତେବେ ରୋହିତ ଶର୍ମା ପୁଣି ଥରେ ମୁମ୍ବାଇର ନେତୃତ୍ୱ ନେବେ କି, ନା ହାର୍ଦ୍ଦିକଙ୍କୁ ନେଇ ଫ୍ରାଞ୍ଚାଇଜି ଅନ୍ୟ କୌଣସି ନିଷ୍ପତ୍ତି ନେବ? ଏବେ ସମସ୍ତଙ୍କ ନଜର ମୁମ୍ବାଇ ଇଣ୍ଡିଆନ୍ସର ଆଗାମୀ ଆଧିକାରିକ ଘୋଷଣା ଉପରେ।